ଲୀନାର ବାହାଘର - ୫
[ପୂର୍ବରୁ ... ଲୀନା ପାଇଁ ଅପରିଚିତ ହେଲେ ବି କୋରିୟର୍ ବୟ ହିସାବରେ ଆସିଥିବା ଯୁବକଟି ଜଣେ ଅଭିଭାବକଙ୍କ ପରି ଲୀନାର ସମସ୍ତ ଶଙ୍କା ଓ ସନ୍ଦେହର ନିରାକରଣ କରିବାକୁ ଚାହୁଁଥିଲା । ସେଥିପାଇଁ ସେ ତା ସାନ୍ତ୍ୱନାଦାୟକ ସ୍ୱରରେ ପଚାରିଥିଲାା, "ମୋ ଭାଇ ଦେଖିବାକୁ କିପରି ଜାଣିବାକୁ ଚାହୁଁଛନ୍ତି ନା ?" ଲୀନା ନିରୁତ୍ତର ରହିଥିଲା । ତା ପରେ ....] ଯୁବକଟି ନିଜ ଭାଇ ଅଭିନବ ବିଷୟରେ ସାମାନ୍ୟ ଧାରଣା ଦେବାକୁ ଚାହୁଁଥିଲା, ତେଣୁ ସେ ତାର ବକ୍ତବ୍ୟ ଜାରୀ ରଖିଥିଲା। "ଏତିକି ଜାଣନ୍ତୁ ମୋ ମୁହଁର ଏହି ଅଳ୍ପ ଅଳ୍ପ ଦାଢ଼ି ସଫା କରିଦେଲେ ଯେମିତି ଲାଗିବ, ସେ ଠିକ ସେମିତି । ଆପଣ କେବଳ ହଁ କରି ଦିଅନ୍ତୁ । ଭାଇକୁ କହିବି ଆସି ଦେଖା କରି ଯିବ ଥରେ । ବାହାଘର ପୂର୍ବରୁ ଥରେ ଦେଖା କରି ନେବା ଉଚିତ।" ଏଥର ଲୀନା ହସିଲା ଯୁବକଙ୍କୁ ଅନେଇ । ଲୀନା ପାଖରେ ତା ପ୍ରେମ ଟିକକ ଛଡା ଆଉ କଣ ଅଛି ! ତା ସାମାଜିକ ସ୍ଥିତି ବି ନଗଣ୍ୟ । ମଣିଷ ଶକ୍ତି ହିସାବରେ ବି କଣ ଅଛି ତା ପାଖରେ ! ଭୁବନେଶ୍ୱରରେ ମଧ୍ୟମ ବର୍ଗର ଚାକିରୀ କରିଥିବା ତା ବାପା, ଭଲ ପାଉନଥିବା ସାବତ ମାଆ । ଆଉ ନିହାତି ଛୋଟ ସାବତ ଭଉଣୀ ରୀମା । ଏ ପରି ସମୟରେ ଗୋଟିଏ କୋରିୟର ବାଲା ଯୁବକ ତା ଭାଇର ବିବାହ ପାଇଁ ଯେପରି ଆକୁଳ ହୋଇ ତାର ହାତ ମାଗୁଛି, ଭାଗ୍ୟର ଏଇ ଖେଳକୁ ନେଇ ଲୀନା ହସନ୍ତା ନାହିଁ ତ ଆଉ କଣ କରନ୍ତା ! ସେ ଯୁବକଟି ଆଡେ ନିଜର ଆଶ୍ଚ...