ଲୀନାର ବାହାଘର -୪
[ପୂର୍ବରୁ ....
ଅପରିଚିତ ଯୁବକଟି ଲୀନାକୁ ତା ଭାଇକୁ ବାହା ହେବାପାଇଁ ପ୍ରସ୍ତାବ ରଖିଲା ଓ ଲୀନାଠାରୁ ସମ୍ମତି ଚାହୁଁଥିଲା । ସେ ତା ନିଜ ସୁନ୍ଦର ସ୍ଵଭାବଦ୍ୱାରା ଲୀନାକୁ ପ୍ରଭାବିତ କରି ସାରିଥିଲା । କିନ୍ତୁ ବାହାହେବା ଲୋକ ସେ ନୁହେଁ, ତାର ଭାଇ । ସେଥିପାଇଁ ଲୀନା ମନରେ ସ୍ୱାଭାବିକ ପ୍ରଶ୍ନ ଉଠିଥିଲା । ସେ ପଚାରିଦେଲା,
- "ଆପଣଙ୍କ ଭାଇ ବି କଣ ଆପଣଙ୍କ ପରି ଭଲ ?"।
ତା ପରେ ........]
ଏତେ କମ୍ ସମ୍ଭାବନା ଭିତରେ ଉତ୍ତର ନ ହେଉ ପଛେ ଲେଉଟା ପ୍ରଶ୍ନଟିଏ ତା ଆଞ୍ଜୁଳାରେ ପଡିଲା ପରେ ଆନନ୍ଦରେ ଯୁବକଟି କୋଳେଇ ନେଲା ଯେପରି ସେ କଥା ପଦକୁ । ମୁହଁରେ ଆନନ୍ଦ ସ୍ପଷ୍ଟ ବାରି ହେଉଥିଲା । ଯୁବକଟି ଲୀନା ମୁହଁରୁ କିଛି ଶୁଣିବାକୁ ହିଁ ତାର ପ୍ରାରମ୍ଭିକ ସଫଳତା ମାନୁଥିଲା ।
- "ମୋ ଠାରୁ ବି ବହୁତ ଭଲ । ଗ୍ୟାରେଣ୍ଟି ଦେଉଛି, ଯୋଡି ଜମିବ ।"
- "କିପରି ସେମିତି କହି ପାରୁଛନ୍ତି ?"
- "ମୁଁ ମୋ ଭାଇର ପସନ୍ଦ ଜାଣେ । ସେ ଆପଣଙ୍କ ପରି କାଦୁଅରେ ପଶି ଫୁଲଗଛ ଲଗାଉ ଥିବା ଝିଅଟିଏକୁ ହିଁ ନିଶ୍ଚୟ ଭଲ ପାଇବ ।" ଏତକ କହି ଜୋର ଜୋର ହସିଲା ଯୁବକଟି । ତା କଥାରେ ଲୀନା ବି ଟିକିଏ ହସିଲା । ପାଖରୁ କଥା ହେବା ପାଇଁ କାଦୁଅ ଭିତରୁ ବାହାରି ଆସିଲା ଲୀନା । ଦୁହେଁ ଘର ପାଖ ସିମେଣ୍ଟ ଚଉଁରା ପାଖରେ ଛିଡା ହୋଇ କଥା ହେଲେ ।
ଯୁବକଟିର କଥା କହିବା ଢଙ୍ଗରେ ଲୀନା ପ୍ରଭାବିତ ହେବାକୁ ଲାଗିଥିଲା । ଏକ ପ୍ରକାର ତାର ଆଗ୍ରହ ବଢି ଚାଲିଥିଲା କିଛି ନ ପଚାରି ବି ଅଧିକ କିଛି ଶୁଣିବାକୁ । ଯୁବକଟି ବି ତା ମନର ଉତ୍କଣ୍ଠାକୁ ପଢି ପାରୁଥିଲା । ତେଣୁ ତୁରନ୍ତ କହିଲା,
"ମୋ ନାଆଁ ଅନୁନୟ, ମତେ ଅନୁଜ ଅନୁନୟ କହି ପାର । ମୁଁ କେବଳ ଅନୁନୟ ଅନୁରୋଧ କରିପାରେ । ବାକି, ଆପଣଙ୍କ ଇଚ୍ଛା ।"
-"ଆଉ ଆପଣଙ୍କ ଭାଇଙ୍କ ନାଆଁ ?"
-"ଅଭିନବ । ସବୁବେଳେ ନୂଆ । ନିତ୍ୟ ନୂତନ "
-"ମାନେ ?"
-" ସେ ସବୁବେଳେ ଆପଣଙ୍କୁ ନୂଆ ନୂଆ କଥା କହିବ । ନୂଆ ଦୁନିଆଁ ଦେଖାଇବ । ନୂତନତ୍ୱ ନ ରହିଲେ ଜୀବନର ମାନେ କଣ !"
ହଠାତ ଲୀନା ଅପ୍ରତିଭ ହୋଇ ପଡ଼ିଲା । ଏଭଳି ନୂତନତ୍ୱ ପାଇବାର ସ୍ୱପ୍ନ କେବଳ ଅମେୟ ଆଖିରେ ଦେଖିଥିଲା । କିନ୍ତୁ ତା ସ୍ୱପ୍ନ ଆଉ ବାସ୍ତବତା ଏମିତି କାହିଁକି ଗୋଡ଼ିଆ ଗୋଡେଇ ହୋଇ ଖେଳୁଛନ୍ତି ! ଲୀନା ଭାଗ୍ୟର ଏହି ଛକା ପଞ୍ଝା ଖେଳକୁ ନେଇ ଭାବନାରେ ବୁଡ଼ିଗଲା କ୍ଷଣିକ ପାଇଁ । ସେ ଆକାଶର ଗୋଟିଏ ପଟକୁ ଚଉଦ ବର୍ଷ ଧରି ସୂର୍ଯ୍ୟୋଦୟର ପ୍ରତୀକ୍ଷା କରି ଅନେଇ ଆସିଥିଲା । ଆଜି କଣ ହୋଇଗଲା କେଜାଣି, ସିନ୍ଦୂରା ଯେମିତି ଫାଟିବାକୁ ବସିଛି ଆଉ ଏକ ଆକାଶରେ ।
ଲୀନାର ଏହି ଅସହଜ ଭାବ ପଢି ପାରୁଥିଲେ ଯୁବକ ଜଣକ । ମୂଡ଼ ହାଲୁକା କରିବା ପାଇଁ ସେ କହିବାକୁ ଆରମ୍ଭ କଲେ,
"ମୁଁ ଆପଣଙ୍କ ଉତ୍ତରର ଅପେକ୍ଷାରେ ରହିଲି । ଏ ବର୍ଷର ଶେଷ ଲଗ୍ନ ଆଉ ସାତଦିନ ମାତ୍ର । ଭଲ କାମରେ ବିଳମ୍ବ କରିବା ଉଚିତ ନୁହେଁ । ଭାଇ ବି ତା ରିସର୍ଚ୍ଚ କାମରେ ଅରୁଣାଚଳ ପ୍ରଦେଶ ଚାଲି ଯିବ ।"
ଲୀନା ମୁହଁ ବୁଲାଇ ଦେଖିଲା ଯୁବକଟି ଆଡେ । ଯୁବକଟି ସାନ୍ତ୍ୱନା ଦେଲା ପରି କଣ୍ଠରେ କହିଲା,
"ମୁଁ ଜାଣେ, ଆପଣ ବିବାହ ସାତ ଦିନ ଭିତରେ କିପରି ହୋଇ ପାରିବ ଭାବି ଚିନ୍ତାରେ ପଡ଼ି ଯାଇଛନ୍ତି ।"
ଲୀନା ଭାବୁଥିଲା, ଯୁବକଟି ସବୁକଥାର ଏତେ ସଠିକ ଅନୁମାନ ଲଗାଉଛନ୍ତି କିପରି ! ସତରେ ସେତେବେଳେ ସେ ତ ନିଜ ସାବତ ମାଆ ପ୍ରେମାଙ୍କ ବିଷୟରେ ଭାବୁଥିଲା । ପ୍ରଥମତଃ, ଏ ବାହାଘର ବିଷୟରେ ସ୍ୱୟଂ ନିଜକୁ ମାନସିକ ରୂପେ ପ୍ରସ୍ତୁତ କରାଇବାକୁ ପଡିବ । ସେଥିରେ ସଫଳ ହେଲେ କଥାଟା ବାପା ଆଉ ସାବତ ମାଆ ପ୍ରେମାଙ୍କ ପାଖକୁ ଯିବ । ସେତେବେଳେ ନୂଆ ମାଆଙ୍କୁ ଏହି ବାହାଘର ପ୍ରସ୍ତାବଟା ଗ୍ରାହ୍ୟ ହେଲେ ତ ! ତାଙ୍କର ଯେଉଁ ସ୍ଵଭାଵ, ସେ ଭଲ ପ୍ରସ୍ତାବ ଦେଖିଲେ କୌଣସି କାରଣ ଦର୍ଶାଇ ତାହା ପ୍ରତ୍ୟାଖ୍ୟାନ କରିଦେବେ । ସେ ଯେମିତି ଲୀନା ଉପରେ କେଉଁ ପୂର୍ବ ଜନ୍ମର ପୁରୁଣା ରାଗ ସୁଝେଇବାକୁ ତାଙ୍କ ଘରକୁ ଆସିଛନ୍ତି ବାପାଙ୍କ ଦ୍ବିତୀୟ ପତ୍ନୀ ହୋଇ ।
ଯୁବକ ନିଜର ସେହି ପୂର୍ବବର୍ଣ୍ଣିତ ସାନ୍ତ୍ୱନାଦାୟକ ଭାଷାରେ କହିଲା, "ମୋ ଭାଇ ଦେଖିବାକୁ କିପରି ଜାଣିବାକୁ ଚାହୁଁଛନ୍ତି ନା ?"
ଲୀନା ଚୁପ ରହିଲା ।
(କ୍ରମଶଃ
#OdiaStory
#odiakaahani #ଓଡ଼ିଆକାହାଣୀ #ଅଜୟମହାଲାଙ୍କଗଳ୍ପ
#AjayaMahalaStories #Odiawriters
#Odia #ଗଳ୍ପ #କାହାଣୀ #କବିତା
#ଅଜୟମହାଲା #ଅଜୟମହଲା #ajayamahala #ଓଡ଼ିଆଉପନ୍ୟାସ #ଉପନ୍ୟାସ #odianovel
#odiamegastory #odiastoryserial
#ଓଡ଼ିଆମେଗାକାହାଣୀ #ଓଡ଼ିଆମହାଧାରାବାହିକ
+
#odia #odiasong #odiamovie
#odiafilm #zeeodisha #otvodisha #otvnews #kanaknews #sambad.in
#news18odia
Odia, odiamegastory, OdiaStory, ଉପନ୍ୟାସ, odianovel, ଓଡ଼ିଆଉପନ୍ୟାସ, ଓଡ଼ିଆକାହାଣୀ, କାହାଣୀ, ଗଳ୍ପ
Comments
Post a Comment