ଲୀନାର ବାହାଘର -୨

 

ଭାଗ -୨

(ପୂର୍ବରୁ .... ଅଜଣା ଯୁବକଟିଏ ଲୁଚି ଲୁଚି ଲୀନାର ଫୋଟୋ ନେଉଥିଲା । ଲୀନା ସନ୍ଦେହ କରିବା ପୂର୍ବରୁ  ଯୁବକ କୋରିୟର ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀନାର ଠିକଣା ପଚାରିବାକୁ ଲାଗିଥିଲା )

ତା ବିଷୟରେ ଅଜଣା ଯୁବକଟି କିଛି ପଚାରୁଥିବାରୁ ଲୀନା ଟିକେ ସଚେତନ ହୋଇ ଗଲା । ଆଣ୍ଠୁପାଖରୁ ତଳକୁ ଖସେଇଦେଲା ସାଲୱାର୍। ଅଣ୍ଟାରେ ଗୁଡ଼େଇଥିବା ଚୁନରୀକୁ ଖୋଲି ଭଲରେ ପକେଇଲା ।

-"ହଁ, ହେଲେ ଆପଣ କେଉଁଠୁ ଆସିଛନ୍ତି ?"

-"କୋରିୟର କମ୍ପାନୀରୁ ଚିଠି ବାଣ୍ଟିବାକୁ ।"

ଲୀନା ଜାଣିବାରେ ଗାଆଁରେ ଚିଠି କେବଳ ପୋଷ୍ଟ ଅଫିସ ମାଧ୍ୟମରେ ଆସିଥାଏ । ବିଶ୍ୱାସ ହେଉ ନ ଥିଲା କୌଣସି ପ୍ରାଇଭେଟ କୋରିୟର ଆଗରୁ କେବେ ତାଙ୍କ ଗାଆଁକୁ ଚିଠି ବାଣ୍ଟିବାକୁ ଆସିଥିବ ।

ନାକରୁ ଝାଳ ପୋଛୁ ପୋଛୁ ଲୀନା ପଚାରିଲା, "ଆମର କିଛି ଚିଠି ଅଛି  କି ?" ନାକ ପୋଛିବା ଭିତରେ ତା ଅଜାଣତରେ କାଦୁଅର ଗାର ଟିଏ ନାକ ମୂଳରୁ ବାଆଁ ପଟ ମଝି ଗାଲ ପର୍ଯ୍ୟନ୍ତ ଟାଣି ହୋଇଗଲା । ଆଉ ଏହା ଦେଖି ଆଲୋକିତ ହୋଇ ଉଠିଲା ଯେପରି ଯୁବକର ମୁଖମଣ୍ଡଳ । ଲୀନା ପଚାରି ଥିବା ପ୍ରଶ୍ନର ଉତ୍ତର ଦେବା ବଦଳରେ ସେ କଣ ଗୋଟେ ପାଇଁ ଲୀନାର ଅନୁମତି ମାଗୁଥିଲା : "ଆପଣଙ୍କ ପଛ ପଟେ ଯେଉଁ ମନ୍ଦାର ଗଛଟି ଅଛି ମୁଁ ତାର ଫୋଟୋଟିଏ ଉଠାଇ ନେଇ ପାରେ ?"

"ଓଃ, ନିଶ୍ଚୟ" ..କହି ଲୀନା ପଛକୁ ବୁଲି ଅନେଇଲା। ତା ମାଆ ଲଗାଇ ଥିବା ମନ୍ଦାର ଗଛରେ ଫୁଲ ଲଦି ହୋଇଥିଲା । ସେ ଏ ସବୁ ଲକ୍ଷ୍ୟ କରି ନ ଥିଲା କେବେ ।  ସେ ଖୁସି ହେଉଥିଲା, ଯୁବକଟି ସେହି ଖାସ ଗଛଟି ଉପରେ ବିଶେଷ  ରୁଚି ନେଉ ଥିବାରୁ । ଆଉ ବେଶୀ ଖୁସି ହେଉଥିଲା, ଯୁବକଟି ଗଛଟି ଉପରେ ତାର ଅଧିକାର ଥିବା ମାନି ନେଇଛି । ନ ହେଲେ ତୁଚ୍ଛ ଗଛଟିଏର ଫୋଟୋ ଉଠାଇବାକୁ ତାର ଅନୁମତି ମାଗି ଥାଆନ୍ତା କାହିଁକି !
 
କିନ୍ତୁ ଲୀନା ଲେଉଟି ଚାହିଁଲା ବେଳକୁ ଯୁବକଟି ତା ପକେଟ କ୍ୟାମେରାରେ ଫୋଟୋ ଉଠାଇବାରେ ଲାଗିଥାଏ । ବିନା କିଛି ପ୍ରଦର୍ଶନ ଯୋଗ୍ୟ ଅଙ୍ଗ ଭଙ୍ଗୀ କରି ସେ ବିନୟପୂର୍ବକ  ତାର କାମ କରୁଥିଲା  । ଲୀନା କିଛି ପ୍ରତିକ୍ରିୟା ଜଣାଇବା ପୂର୍ବରୁ ସେ ତାର ଝୁଲା ବ୍ୟାଗ ଭିତରେ ତାର କ୍ୟାମେରାଟିକୁ  ରଖିଦେଲା। ଫୋଟୋ ଉଠେଇବା କାର୍ଯ୍ୟରୁ ମୁକ୍ତ ହେବା ପରେ ଲୀନା କରିଥିବା ପ୍ରଶ୍ନର ଉତ୍ତର ଏବେ ଜନ୍ମ ନେଲା ।

-"ହଁ, ଆପଣଙ୍କର ପାର୍ଶଲଟିଏ ଅଛି, ଏଇ ନିଅନ୍ତୁ ।" ଏତିକି କହି ବଡ଼ ବନ୍ଦ ଲଫାଫାଟିଏ   ଲୀନା ଆଡକୁ ବଢ଼େଇ ଦେଲା  ଯୁବକଟି । ଲୀନା ଟିକିଏ ନଇଁ ପଡି ଦେଖିଲା ପାର୍ଶଲଟିକୁ । ଉପରେ "ମିସ୍ ଲୀନା ସାମନ୍ତ,   କେୟାର ଅଫ ସୁଧାକର ସାମନ୍ତ" ଲେଖା ହୋଇଥିଲା । ଲୀନାର ହାତରେ କାଦୁଅ ଲାଗିଥିବାରୁ ଦୁଇ ଆଙ୍ଗୁଳି ସାହାଯ୍ୟରେ ପତ୍ରିକା ଧରିବାକୁ ଚେଷ୍ଟା କରୁଥିଲା ସେ ।
ତାର ଏହି ଅସୁବିଧା ଦେଖି ଯୁବକଟି କହିଲା,
-"ଓଃ, ସରି ... ଆପଣଙ୍କୁ କାମ କଲା ସମୟରେ ଅସୁବିଧାରେ ପକାଇଲି । ଘର ପାଖକୁ ଯାଇ ଆପଣଙ୍କ ମାମୁଁଙ୍କୁ ବି ଦେଇ ପାରି ଥାଆନ୍ତି । କିନ୍ତୁ ..."

-"କିନ୍ତୁ ପୁଣି କଣ ?"

- "ମୁଁ ଜାଣେ ଆପଣଙ୍କ ମାମୁଁ ଏବେ ଘରେ ନ ଥିବେ। ଅଫିସରେ ଥିବେ। ପୁଣି ଆପଣଙ୍କ ସହିତ ଏଇଠି ଦେଖା ହୋଇଗଲା। ଭାବିଲି ଆପଣଙ୍କୁ ଦେଇ ଚାଲିଯିବି।"

ଯୁବକଟି ତା ଘର ବିଷୟରେ ଅନୁସନ୍ଧାନ କରି ଆସିଛି ନା କଣ ? ଏ ବିଷୟରେ କିଛି ଭାବିବା ପୂର୍ବରୁ  ନିହାତି ଅତର୍କିତ ରୂପେ ଯୁବକଟି ଲୀନାକୁ ମସ୍ତ ବଡ଼ ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରି ଦେଲା:

"ଆପଣ ମୋ ଭାଇକୁ ବାହା ହେବେ ?"

                                      (କ୍ରମଶଃ)


#odiakaahani #ଓଡ଼ିଆକାହାଣୀ #OdiaStory #ଅଜୟମହାଲାଙ୍କଗଳ୍ପ
#AjayaMahalaStories #Odiawriters
#Odia #ଗଳ୍ପ #କାହାଣୀ #କବିତା
#ଅଜୟମହାଲା #ଅଜୟମହଲା #ଓଡ଼ିଆଉପନ୍ୟାସ #ଉପନ୍ୟାସ #odianovel
#odiamegastory #odiastoryserial
#ଓଡ଼ିଆମେଗାକାହାଣୀ #ଓଡ଼ିଆମହାଧାରାବାହିକ
+
#odia #odiasong #odiamovie
#odiafilm #zeeodisha #otvodisha #otvnews #kanaknews #sambad.in
#news18odia 

Comments

Popular posts from this blog

ଲୀନାର ବାହାଘର - ୧

ଲୀନାର ବାହାଘର - ୫