ଲୀନାର ବାହାଘର - ୩

(ପୂର୍ବ ଭାଗରୁ ......ଲୀନା ମନରେ ସନ୍ଦେହ ଉପୁଜି ଥିଲା, ଯୁବକଟି ତା ଘର ବିଷୟରେ ଅନୁସନ୍ଧାନ କରି ଆସିଛି ନା କଣ ? ଏ ବିଷୟରେ କିଛି ଭାବିବା ପୂର୍ବରୁ  ନିହାତି ଅତର୍କିତ ରୂପେ ଯୁବକଟି ଲୀନାକୁ ମସ୍ତ ବଡ଼ ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରି ଦେଲା:

"ଆପଣ ମୋ ଭାଇକୁ ବାହା ହେବେ ?" )

    ଚମକି ଚାହିଁଲା ଲୀନା କୋରିୟରଵାଲା ସାଜି ଆସିଥିବା ଯୁବକ ଜଣକ ଆଡେ । ସେ ବିଶ୍ୱାସ କରି ପାରୁ ନ ଥିଲା ସେ କଣ ଶୁଣୁଛି ବୋଲି ।  ଏମିତି ବାଟରେ ଘାଟରେ କିଏ ବିବାହ ପ୍ରସ୍ତାବ ଦେଇଥାଏ !  କିନ୍ତୁ କେଜାଣି କାହିଁକି ଏଇ କଥା ପଦକରେ ଶିହରି ଗଲା ତାର ଦେହ । ଏଥିରେ କିଛି ଅଗ୍ରାହ୍ୟ ହେଲା ଭଳି କଥା ନ ଥିଲା  ।

      ଲୀନା ମନରେ ବେଳେ ବେଳେ ଅଦ୍ଭୁତ ଭାବନାଟିଏ ଆସିଥାଏ - ଯଦି ସେ ପୁଅଟିଏ ହୋଇଥାନ୍ତା, ଆଉ  ତାକୁ ରାସ୍ତାରେ ଚାଲୁ ଚାଲୁ କେହି ଝିଅଟିଏ ଭଲ ଲାଗି ଯାଇଥାନ୍ତା, ତେବେ ସେ ସିଧା ତା ଆଗକୁ ଚାଲି ଯାଇ ରାସ୍ତାରେ ଆଣ୍ଠୁ ମାଡି ପ୍ରସ୍ତାବ କରି ଥାଆନ୍ତା, "ମୁଁ ତୁମକୁ ବାହା ହେବାକୁ ଚାହେଁ " । ମାତ୍ର ତା ପାଇଁ ଏହା ଏକ କଳ୍ପନା ଥିଲା ମାତ୍ର - ସିୟର ଫ୍ୟାଣ୍ଟାସୀ ! ବାସ୍ତବ ଜୀବନରେ ଏପରି କେବେ କିଏ କାହାକୁ କହି ପାରେ ! ତା ନିଜ କ୍ଷେତ୍ରରେ ତ ଏହା ସମ୍ପୂର୍ଣ୍ଣ ରୂପେ ଅପରିକଳ୍ପନୀୟ ଥିଲା । ଅମେୟକୁ ଚଉଦ ବର୍ଷ ଧରି ଭଲ ପାଇବା ଭିତରେ ସେ ତା ମନ ଖୋଲି ନିଜର ପସନ୍ଦ ନାପସନ୍ଦ ଓଠ ଖୋଲି ତା ଆଗରେ କହି ପାରିନି । ଯେତେବେଳେ ରାଜ୍ୟର କୃତୀ ଛାତ୍ର ମାନଙ୍କ ଭିତରେ ତା ନାଆଁ ଆସିଥିଲା, ଗୋଟିଏ ଅଭିନନ୍ଦନ ବାର୍ତ୍ତା ବି ପୋଷ୍ଟ କାର୍ଡରେ ଲେଖି ପାରି ନ ଥିଲା । ଏବେ ସିଭିଲ ସର୍ବିସରେ ସଫଳତା ପରେ ବି ସେ ସେମିତି ପୂର୍ବ ପରି ମୌନତ୍ୱ ଧାରଣ କରିଥିଲା ।

ନିଜେ ତିଆରି କରିଥିବା ଏ ସବୁ ଦୂରତ୍ୱ ସତ୍ତ୍ୱେ ଆଉ କୌଣସି ଅନ୍ୟ ଯୁବକର ଚିତ୍ର ଭୁଲରେ ବି ଆସିନି ତା ମନରେ । ତା ବୟସର ଅନ୍ୟ ସଙ୍ଗିନୀଙ୍କ ପରି ତାର କିଶୋରୀ ଜୀବନ କେବେ ନୂଆ ନୂଆ ପ୍ରେମ ପାଇଁ ବିଚଳିତ ହୋଇନି । ଅମେୟକୁ ଏକନିଷ୍ଠ ହୋଇ ଚଉଦ ବର୍ଷ  ଭଲ ପାଇବା ଭିତରେ କେବେ  କିଶୋରୀ ବୟସର ସେହି ପ୍ରେମ ଭିଜା ବର୍ଷ ଗୁଡିକ ହଜିଗଲା ସେ ନିଜେ ସେ ବିଷୟରେ ଜାଣିନି । ତା ମନରେ ଦୃଢ଼ ବିଶ୍ୱାସ ଥିଲା, ସଫଳତାର ଶୀର୍ଷ ଛୁଇଁଲା ପରେ ଅମେୟ ନିଜେ ହସି ହସି ଆସିବ ଦୁହିଁଙ୍କ ଭିତରେ ଥିବା ସମ୍ବାଦହୀନତା ସମାପ୍ତ କରିବାକୁ । ଅମେୟ ଛୁଆବେଳେ ଲାଜକୁଳା ଥିଲା ସତ, କିନ୍ତୁ ଏବେ ଯୁବକ ହେଲାପରେ ତା ପରି ମନ କଥା କହିବାକୁ ଆଉ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ଡରୁ ନ ଥିବ । ସେ ନିଶ୍ଚୟ ନିରପେକ୍ଷ ନିର୍ଣ୍ଣୟ ନେବ ତା ଜୀବନ ସଙ୍ଗିନୀ ବାଛିବାରେ ।

କିନ୍ତୁ ସେମିତି କିଛି ହେଲାନି ଯାହା ସେ ସ୍ୱପ୍ନରେ ସଜେଇ ରଖିଥିଲା। ତା ଇପ୍ସିତ ଦୁନିଆଁର ନକ୍ସା ଅଚାନକ ବଦଳି ଗଲା ଏଇ କେତେ ଦିନ ତଳେ । ଅମେୟ ସିଭିଲ ସର୍ବିସ  ପରୀକ୍ଷାରେ ବହୁତ ଭଲ ସ୍ଥାନ ପାଇଲା ପରେ ରାଜ୍ୟର ବଡ଼ ଶିଳ୍ପପତି, ବ୍ୟବସାୟୀ ଆଉ ଉଚ୍ଚ ପଦବୀରେ ଥିବା ଲୋକ ମାନଙ୍କର ଧାଡି ଲାଗି ଯାଇଥିଲା ତାକୁ ଜ୍ବାଇଁ କରିବା ପାଇଁ । ଶେଷରେ ଲୀନା ମନରେ ଯେଉଁ ଡର ଥିଲା ତାହା ସତ ହେଲା । ଏକାଧିକ ପଞ୍ଚ ତାରକା ହୋଟେଲର ମାଲିକ, କେଉଁଝରରେ କେତୋଟି ଲୁହାପଥର ଖଣିର ମାଲିକ ଗୋଟିଏ ଶିଳ୍ପପତି ନିଜର ଏକ ମାତ୍ର ଝିଅ ପାଇଁ କିଣି ନେଲେ ତାକୁ । ଏକ ପ୍ରକାର  ଅମେୟ ତାଙ୍କର ସବୁ ସମ୍ପତ୍ତିର  ମାଲିକ ହେବାକୁ ଯାଉଥିଲା । ବାହାଘର କଥା ପକ୍କା ହେବା ପୂର୍ବରୁ ସେ ଉପହାରପୂର୍ବକ ଦୁଇଟି ଫ୍ଲାଟ ଅମେୟକୁ ତା କଟକ ଭୁବନେଶ୍ୱର ଯିବା ଆସିବା କଲାବେଳେ ବ୍ୟବହାର କରିବାକୁ ଦେଇ ସାରିଛନ୍ତି । ଲୀନା ଭାବୁଥିଲା, ଅମେୟର କେଉଁଥିରେ ଏତେ ଅଭାବ ଥିଲା ଯାହା ଲାଗି ସେ ଜନତାର ସେବା କରିବାର ଏକ ବିରାଟ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ବିକି ହୋଇଗଲା । ସେ ଡରୁଥିଲା ବେଶୀ, ଏବେ ଅମେୟକୁ ଲୋକେ ଆଗପରି ଭଲ ପାଇବେ ତ ?

"ଆପଣ କିଛି କହିଲେନି ?", ଯୁବକଟି ପଚାରିଲା ।

ଲୀନା ଫେରି ଆସିଲା  ବର୍ତ୍ତମାନକୁ। ଯୁବକଟି ମୁହଁରେ ଲୀନାଠୁଁ କିଛି ଗୋଟେ ଉତ୍ତର ଶୁଣିବାର ଭାବ । ଲୀନା ଏବେ ଉତ୍ତର ନ ଦେଲେ ବି ଯେମିତି ସେ ଗୋଟିଏ ଯୁଗ ପର୍ଯ୍ୟନ୍ତ ଅପେକ୍ଷା କରି ରହି ପାରିବ ତା ଉତ୍ତରର ପ୍ରତୀକ୍ଷାରେ । ଲୀନା ସେମିତି କାଦୁଅ ଗୋଡ଼ରେ ଛିଡା ହୋଇଛି । ପାଟିରୁ କଥା ବାହାରୁନି । ଭାବୁଥିଲା, ନୀରବତା ହିଁ ତା ଜୀବନର ଭାଷା ହୋଇ ରହିଯିବ ସବୁଦିନ ପାଇଁ । ଆଜି ଯାଏଁ ନୀରବରେ ଅମେୟକୁ ମନେ ପକାଇବା ଆଉ ଶୂନ୍ୟରେ ଲୁଚି ରହିଥିବା ମାଆ ଆଗରେ ମୁହଁ ଫୁଲାଇ ଅଳି କରିବା ଛଡା କିଛି ଶିଖି ପାରିନି ଜୀବନରେ । ଏହି ଫୁଲ ଗଛ ତ ସେଥିପାଇଁ  ଲଗାଉଛି କି ଫୁଲ ଫୁଟିଲେ ସେମାନଙ୍କ ସହ ନୀରବରେ କଥା ହେବ । କିନ୍ତୁ ଆଜି ଏ ଅପରିଚିତ ଯୁବକଟି ନିଜର ହୋଇ କାହିଁ ଜିଦଟିଏ କରି ବସିଛି କଥା ପଦେ ତା ମୁହଁରେ କୁହାଇବାକୁ - ତାହା ପୁଣି ବିବାହ ପରି ସମ୍ବେଦନଶୀଳ ବିଷୟ ଉପରେ । ଯୁବକଟିର କଣ୍ଠ ସ୍ୱର ଆଶ୍ୱସ୍ତ କଲା ପରି ଥିଲା । ମନରେ ସାହସ ସଞ୍ଚୟ କରି ପଚାରିଲା,

- "ଆପଣଙ୍କ ଭାଇ ବି କଣ ଆପଣଙ୍କ ପରି ଭଲ ?"

                                     (  କ୍ରମଶଃ )


#OdiaStory

#odiakaahani #ଓଡ଼ିଆକାହାଣୀ  #ଅଜୟମହାଲାଙ୍କଗଳ୍ପ
#AjayaMahalaStories #Odiawriters
#Odia #ଗଳ୍ପ #କାହାଣୀ #କବିତା
#ଅଜୟମହାଲା #ଅଜୟମହଲା #ajayamahala #ଓଡ଼ିଆଉପନ୍ୟାସ #ଉପନ୍ୟାସ #odianovel
#odiamegastory #odiastoryserial
#ଓଡ଼ିଆମେଗାକାହାଣୀ #ଓଡ଼ିଆମହାଧାରାବାହିକ
+
#odia #odiasong #odiamovie
#odiafilm #zeeodisha #otvodisha #otvnews #kanaknews #sambad.in
#news18odia


Comments

Popular posts from this blog

ଲୀନାର ବାହାଘର - ୧

ଲୀନାର ବାହାଘର -୨

ଲୀନାର ବାହାଘର - ୫