ଲୀନାର ବାହାଘର - ୧
ଅମେୟ ଏବେ ଧରା ଛୁଆଁ ଦେବାର ଜନ୍ତୁ ନୁହେଁ । ଲୀନାକୁ ଲାଗୁଥିଲା, ସେ ଯେପରି ଅଧିକାଂଶ ଟ୍ରେନ ରୋକୁ ନ ଥିବା କୌଣସି ଛୋଟ ମଫସଲି ରେଳଷ୍ଟେସନରେ ଯାତ୍ରୀଟିଏ ହୋଇ ଛିଡା ହୋଇଛି ଆଉ ଅମେୟ ଦେଖୁ ଦେଖୁ ବହୁ ଦୂରକୁ ଯାଉଥିବା ଦ୍ରୁତ ଏକ୍ସପ୍ରେସ ଟ୍ରେନ ପରି ତା ପାଖକୁ ଆସି ପୁଣି ପ୍ଲାଟଫର୍ମ ଦୁଲୁକେଇ ତା ଆଗରେ ଚାଲିଗଲା । ସେ ଅନ୍ୟ ଯାତ୍ରୀଙ୍କ ପରି ମୁହଁରେ ଅସହାୟ ଭାବ ଫୁଟେଇ ଚାହିଁ ରହିଥିଲା ତାକୁ ପଛ କରି ଦେଇ ଚାଲି ଯାଉଥିବା ସେହି ଟ୍ରେନଟି ଆଡେ ।
ଅମେୟର ବାହାଘର ହେବାକୁ ମାତ୍ର ପାଞ୍ଚ ଦିନ ବାକି । ଏ ପଟେ ଚିନ୍ତା ଆଉ ଅନ୍ୟମନସ୍କତାର ଜାଲରେ ଛନ୍ଦି ହୋଇ ଚାଲିଥିଲା ଲୀନା । ନିଜ ମନକୁ ଭୁଲାଇବା ପାଇଁ ନିଜ ଘର ଆଗ ବାଡ଼ିରେ ଥିବା ଜାଗା ପୁଳାକରେ ଗେଣ୍ଡୁ ଆଉ ହରଗୌରା ଚାରା ନେଇ ପୋତିବାରେ ଲାଗିଥିଲା । ଜାଗାଟି କାଦୁଅରେ ପଚପଚ । ଗଛ ଲଗାଇବା ବେଳେ ତା' ଚୁନରୀରେ ଯେମିତି କାଦୁଅ ଲାଗିନଯାଏ କି ତାକୁ କାମରେ ଅସୁବିଧା ନକରେ, ସେଥି ପାଇଁ ସେ ଚୁନରୀକୁ ବାଁ ପଟ କାନ୍ଧ ଉପରେ ଗୁଡ଼େଇ ଆଣି ଅଣ୍ଟାରେ କଷିକରି ବାନ୍ଧି ଦେଇଥିଲା। ସାଲୱାରକୁ ଆଣ୍ଠୁଯାଏଁ ଟେକି ଦେଇଥିଲା। ତାକୁ ଏମିତି ବେଶରେ ଯିଏ ଦେଖିବ, ଭାବିବ ପକ୍କା କାମିକା ଝିଅଟିଏ।
ଘଣ୍ଟାଏ ଖଣ୍ଡେ ହେବ ସେହି କାଦୁଅରେ ଛିଡା ହୋଇ କାମ କରୁଛି । ଏଇଟା ତା ମାମୁଁଘର ଗାଆଁ । ସ୍କୁଲ ଯାଉଥିବା ସମୟ ଏହି ଗାଆଁରେ କାଟିଛି । ଅଧିକାଂଶ ଲୋକେ ତାର ମାମୁଁ, ମାଇଁ ବା ଅଜା ଆଈ ହେବେ । ଏଠି ତାକୁ କାଦୁଅ ଭିତରେ ପଶି ଫୁଲ ଗଛ ରୋଇବାରେ ଲାଜ ମାଡିବାର କାରଣ ନାହିଁ । ଇଏ ତ ତା ମରି ଯାଇଥିବା ମାଆର ଜନ୍ମସ୍ଥଳୀ ।ଏଠିକାର ପାଣି ପବନ, କୂଅ ମୂଳ, ପୋଖରୀ ତୁଠ ସବୁଠିଁ ତା ମାଆର ସ୍ପର୍ଶ ଅନୁଭବ କରି ପାରେ । ତା ନାଆଁ ଭଲ ରୂପେ ଜାଣି ନ ଥିବା କେତେ ଗୁରୁଜନ ଯିବା ଆସିବା ଭିତରେ ତାକୁ ତା ମାଆ ନାଆଁ ଲଗାଇ ତାଗିଦ କରି ସାରିଲେଣି, "ହେ ସୁରଭି ଝିଅ, ସେ କାଦୁଅ ଭିତରୁ ଜଲଦି ବାହାର !" ସେ ସେମାନଙ୍କ କଥା ଧ୍ୟାନ ଦେଉ ନ ଥିଲା ଏତେ ।
କିନ୍ତୁ ଏଥର ସେମାନଙ୍କ ସହ ମିଶି ଦଶ ବର୍ଷ ତଳେ ତା ମରି ଯାଇଥିବା ମାଆ କେଉଁଠି ଥାଇ ଯେମିତି କହୁଥିଲେ, " ବହୁତ ହୋଇଗଲା ତୋ ଫୁଲ ଗଛ ଲଗା । ଏବେ ତ ଘରକୁ ଯାଆ - ଖରାରେ ରଙ୍ଗ କଳା ପଡିଯିବ । ସେ ଶୂନ୍ୟରେ ଲୁଚି ରହିଥିବା ସେହି ମାଆକୁ ମୁହଁ ଫୁଲାଇ ପ୍ରତିରୋଧ କରି କହିଲା, "ମୋର କେଉଁ ବାହାଘର ହେଉଛି ମାଆ !"
ମାଆକୁ ଏତକ କହିଦେଲା ସିନା ହେଲେ ଏବେ ଲୀନା ସ୍ଥିର କଲା ଆଉ କେତୋଟି ଚାରା ଲଗାଇ ସେ ଶୀଘ୍ର ହାତ ଗୋଡ଼ ଧୋଇ ଘରକୁ ଚାଲିଯିବା ଉଚିତ। କିଏ ଜାଣେ ଏତେ ପରିଶ୍ରମ କରି ଲଗାଉଥିବା ଫୁଲଗଛରେ କେବେ ଫୁଲ ଫୁଟିବ କି ନାହିଁ । ତାର ଚଉଦ ବର୍ଷର ଭଲ ପାଇବା ତ ଶେଷରେ ଫୁଲ ନ ଫୁଟାଇ କେଉଁଠି ହଜି ଗଲା !
ସେତିକିବେଳେ ଯୁବକଟିଏ ମୋଟର ସାଇକେଲରେ ଯାଉ ଯାଉ ହଠାତ ଅଟକିଗଲା ସେଠି । ହାତରେ ପୁଳାଏ ଚିଠି । ରାସ୍ତା ଉପରେ ଛିଡା ହୋଇ ଲୀନାକୁ ତନ୍ମୟତାର ସହ ଦେଖୁଥାଏ । ଫୁଲଗଛ ପୋତିବାରେ ଲୀନା ଏତେ ହଜି ଯାଇଥିଲା ଯେ ଯୁବକ ଆଡକୁ ତାର ଧ୍ୟାନ ନ ଥାଏ । ଏହାର ସୁଯୋଗ ନେଇ ଯୁବକ ଜଣକ ପକେଟ କ୍ୟାମେରାରେ ଲୀନାର କେତୋଟି ଫୋଟୋ ଉଠେଇ ନେଲା। ଯେତେବେଳେ ଯୁବକଟି ଆଡକୁ ଅନେଇବାକୁ ଲୀନା ମୁଣ୍ଡ ଉଠାଇବାକୁ ଉଦ୍ୟତ ହେଲା, ଯୁବକ କ୍ୟାମେରାଟିକୁ ନିଜ ବ୍ୟାଗରେ ଲୁଚାଇ ସାରିଥିଲେ । ମୁହଁର ଭଙ୍ଗୀରେ ସମସ୍ତ ଚଞ୍ଚଳତାକୁ ସମାପ୍ତ କରି ସ୍ଥିର ହୋଇ ଛିଡା ହୋଇଥିଲେ । ୟା ଭିତରେ କିଛି ହୋଇଗଲା ବୋଲି ଲୀନାକୁ ସାମାନ୍ୟ ସନ୍ଦେହ ହେଲା । କିନ୍ତୁ ସେ ସନ୍ଦେହକୁ ବେଶୀ ବଳ ମିଳିଲା ନାହିଁ । ମନକୁ ଖୁସି କରି ଦେଲା ଭଳି ଯୁବକଟିର ହସମୁଖ ଚେହେରା । ବହୁତ ଶାନ୍ତ ସେହି ଚେହେରା ଉପରେ ଲେପି ହୋଇଛି ଆତ୍ମୀୟତା ଓ ସ୍ନେହ ମିଶ୍ରିତ ଭାବ । ଭୟ ବା କିଛି ଚୋରି କରିଥିବାର ଭାବ ମୁହଁରେ ଲେଶ ମାତ୍ର ନାହିଁ । ତା ମୁହଁରେ ଲାଗି ରହିଥିବା ହସ ଟିକକ ଲୀନାର ସନ୍ଦେହ ପୋଛି ଦେବା ପାଇଁ ଯଥେଷ୍ଟ ଥିଲା। ଲୀନାକୁ ଅଧିକ ଭାବିବାକୁ ନ ଦେଇ ଯୁବକ ଜଣକ ତା ପାଖକୁ ଆଉ ଟିକେ ଲାଗି ଆସି ପଚାରିଲା,
"ଲୀନା ସାମନ୍ତ, କେୟାର ଅଫ ସୁଧାକର ସାମନ୍ତଙ୍କ ଘର ଏଇଟା ନା?"
(କ୍ରମଶଃ )
#odiakaahani #ଓଡ଼ିଆକାହାଣୀ #OdiaStory #ଅଜୟମହାଲାଙ୍କଗଳ୍ପ
#AjayaMahalaStories #Odiawriters
#Odia #ଗଳ୍ପ #କାହାଣୀ #କବିତା
#ଅଜୟମହାଲା #ଅଜୟମହଲା #ଓଡ଼ିଆଉପନ୍ୟାସ #ଉପନ୍ୟାସ #odianovel
#odiamegastory #odiastoryserial
#ଓଡ଼ିଆମେଗାକାହାଣୀ #ଓଡ଼ିଆମହାଧାରାବାହିକ
+
#odia #odiasong #odiamovie
#odiafilm #zeeodisha #otvodisha #otvnews #kanaknews #sambad.in
#news18odia
ବହୁତ ସୁନ୍ଦର। ପରବର୍ତ୍ତୀ ଅଧ୍ୟାୟକୁ ଅପେକ୍ଷା। ଶୁଭେଚ୍ଛା ସାର୍ 💐💐💐
ReplyDelete