ଲୀନାର ବାହାଘର -୨
ଭାଗ -୨ (ପୂର୍ବରୁ .... ଅଜଣା ଯୁବକଟିଏ ଲୁଚି ଲୁଚି ଲୀନାର ଫୋଟୋ ନେଉଥିଲା । ଲୀନା ସନ୍ଦେହ କରିବା ପୂର୍ବରୁ ଯୁବକ କୋରିୟର ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀନାର ଠିକଣା ପଚାରିବାକୁ ଲାଗିଥିଲା ) ତା ବିଷୟରେ ଅଜଣା ଯୁବକଟି କିଛି ପଚାରୁଥିବାରୁ ଲୀନା ଟିକେ ସଚେତନ ହୋଇ ଗଲା । ଆଣ୍ଠୁପାଖରୁ ତଳକୁ ଖସେଇଦେଲା ସାଲୱାର୍। ଅଣ୍ଟାରେ ଗୁଡ଼େଇଥିବା ଚୁନରୀକୁ ଖୋଲି ଭଲରେ ପକେଇଲା । -"ହଁ, ହେଲେ ଆପଣ କେଉଁଠୁ ଆସିଛନ୍ତି ?" -"କୋରିୟର କମ୍ପାନୀରୁ ଚିଠି ବାଣ୍ଟିବାକୁ ।" ଲୀନା ଜାଣିବାରେ ଗାଆଁରେ ଚିଠି କେବଳ ପୋଷ୍ଟ ଅଫିସ ମାଧ୍ୟମରେ ଆସିଥାଏ । ବିଶ୍ୱାସ ହେଉ ନ ଥିଲା କୌଣସି ପ୍ରାଇଭେଟ କୋରିୟର ଆଗରୁ କେବେ ତାଙ୍କ ଗାଆଁକୁ ଚିଠି ବାଣ୍ଟିବାକୁ ଆସିଥିବ । ନାକରୁ ଝାଳ ପୋଛୁ ପୋଛୁ ଲୀନା ପଚାରିଲା, "ଆମର କିଛି ଚିଠି ଅଛି କି ?" ନାକ ପୋଛିବା ଭିତରେ ତା ଅଜାଣତରେ କାଦୁଅର ଗାର ଟିଏ ନାକ ମୂଳରୁ ବାଆଁ ପଟ ମଝି ଗାଲ ପର୍ଯ୍ୟନ୍ତ ଟାଣି ହୋଇଗଲା । ଆଉ ଏହା ଦେଖି ଆଲୋକିତ ହୋଇ ଉଠିଲା ଯେପରି ଯୁବକର ମୁଖମଣ୍ଡଳ । ଲୀନା ପଚାରି ଥିବା ପ୍ରଶ୍ନର ଉତ୍ତର ଦେବା ବଦଳରେ ସେ କଣ ଗୋଟେ ପାଇଁ ଲୀନାର ଅନୁମତି ମାଗୁଥିଲା : "ଆପଣଙ୍କ ପଛ ପଟେ ଯେଉଁ ମନ୍ଦାର ଗଛଟି ଅଛି ମୁଁ ତାର ଫୋଟୋଟିଏ ଉଠାଇ ନେଇ ପାରେ ?" "ଓଃ, ନିଶ୍ଚୟ" ..କହି ଲୀନା ପଛକୁ ବୁଲି ଅନେଇଲା। ତା ମାଆ ଲଗାଇ ଥିବା ମ...